ଆହେ ମହାବାହୁ
ଆହେ ମହାବାହୁ
ଜୀବନ ଯାତ୍ରାରେ ମତି ଆଇନାରେ
ଛବି ଶ୍ରୀମନ୍ଦିର ନେତ
ସଂଗ୍ରାମୀ ତରଣୀ ସ୍ୱେଦ ସ୍ରୋତସ୍ୱିନୀ
ବିଜୟଶ୍ରୀ ବିମଣ୍ଡିତ ।
ବଳିୟାର ଭୂଜ ଆଶ୍ରାରେ ଏ ଜୀବ
ସୁଖେ ବିତୁ ଦିନୁଦିନ
ଆତ୍ମା ଶାନ୍ତି ମୋର ହେଉଥିବ ନିତ୍ୟ
ତୁଣ୍ଡେ ଜଣାଣ ଭଜନ ।
ମଣିଷ ଜନମ ତୁଣ୍ଡେ ବିଭୁ ନାମ
ତୁମରି କରୁଣା ବଳେ
ତୁମ ଶ୍ରୀପୟର ସୁମରିବି ସଦା
ହାତ ଯୋଡି ଭୂଜତଳେ ।
କରୁଣା ସାଗର ଜଗତ ଠାକୁର
ସସାଗରା ଧରାଧାମ ।
ତୁମରି ଦର୍ଶନେ ନାମ ସଂକୀର୍ତ୍ତନେ
ତାରେ ପାପୀ ନରାଧମ ।
ତୁମେ ହିଁ ମାଧବ ତୁମେ ହିଁ ସାଧବ
ଜଗବନ୍ଧୁ ହେ ଗୋସାଇଁ
ଆଶିର୍ବାଦ ବାରି ଝରୁ କିରି କିରି
ସୁସ୍ଥ ମତି ଗତି ପାଇଁ ।
ବାଇସି ପାହାଚ ଦିଶିଯାଏ ସ୍ଵଚ୍ଛ
ଭକ୍ତି ଅନୁରାଗେ ଭରା
ଗରୁଡ଼ ଖମ୍ବରୁ ଗର୍ଭଗୃହ ଦମ୍ଭରୁ
ଦିଶେ ଚକା ଆଖି ପରା ।
ଦୀନ ଅକିଞ୍ଜନ ଅଜ୍ଞ ଅର୍ବାଚୀନ
ଗର୍ବ ଅହଙ୍କାର ତୁଣ୍ଡେ
ପରଛିଦ୍ର ତ୍ରାଣ ଚର୍ବିତ ଚର୍ବଣ
ଅସରନ୍ତି ବୁଦ୍ଧି ମୁଣ୍ଡେ ।
ଭକ୍ତିରସ ମାର୍ଗ ହେଉ ଜୀବମାର୍ଗ
ଦୟା କରୁଣାର ଉତ୍ସ
ଜୀବେ ଦୟା ବହୁ ଆହେ ମହାବାହୁ
ଅମୃତ ସନ୍ଧାନ ବତ୍ସ ।