ଆହ୍ବାନ
ଆହ୍ବାନ
ଆସିବେ ଆସିବେ କୃଷ୍ଣ ଡାକ ତୁମେ
ଆକୁଳରେ ସେଇ ପୂର୍ବପରି,
ତୁମ ଦୁଃଖ ହରି ନେବେ ବଶମ୍ବଦ
ହେବେ ପୁଣି ପ୍ରିୟ ସେ ତୁମରି;
ଯେତେ ଜ୍ବାଳା ,ଈର୍ଷା କେତେ ଭାବାବେଗ
ପ୍ରତିଦ୍ଵନ୍ଦ୍ବୀ ପ୍ରବଳ ଜ୍ଵଳନ,
ସବୁ ଆଜି ରୂପ ଦିଅ କବିତାରେ
ଅଜ୍ଞାନ କି ଶାଣିତ କଲମ;
କବିତା ରେ ମଧୁ ନାହିଁ ଅଛି ତୀବ୍ର
ହଳାହଳ ମାରାତ୍ମକ ବିଷ,
ହୃଦୟରେ କାଳକୂଟ, ଦେବ କାହୁଁ
ସିଏ କେବେ ପ୍ରୀତିର ପୀୟୂଷ;
ଆଶ୍ଚର୍ଯ୍ୟ ମଣିଷ ଆଜି କୁତ୍ସା ପ୍ରିୟ
କାହିଁ ସେଇ ଅମୃତ ସନ୍ତାନ,
ସୁସ୍ଥ ଭାବ ରାଜି ନାହିଁ ,ଓଷ୍ଠାଧାରେ ମଧୁ
ହୃଦୟରେ ଇଚ୍ଛା ନେବ ପ୍ରାଣ;
ଜଳୁନି ଖାଲି ବି ଦିନ, ରାତି ଜଳେ
ପ୍ରତିହିଂସା ଉତ୍ତପ୍ତ ଲାଭାରେ,
ଘାସ ଫୁଲ ମୃତ୍ୟୁ ଲଭେ, ହିସାବର
କଟାଛଟା ଗଣିତ ଖାତାରେ;
ଆରୋହଣ କରନାହିଁ, କଳ୍ପନା ଘୋଟକେ
ଆଖି ଖୋଲ ଜଗତର ଖେଳ,
କ୍ରନ୍ଦନ କରୁଛି ଶିଶୁ ପୀଡିତ ମହିଳା
ହତାଦରେ ବାର୍ଦ୍ଧକ୍ୟ ଆକୁଳ;
ଏତେ ଅଜ୍ଞ ପୂର୍ଣ୍ଣ ମୁଷ୍ଟି, ତଥାପି
ତୋଳ ଯେ ରାଗ ହାହାକାର ଗୀତ,
କେବେ ହାଏ ସ୍ଵପ୍ନ ଭାଙ୍ଗି ଗାଇବ ଯେ
ସ୍ଵଚ୍ଛ ଏକ ଜୀବନ ସଙ୍ଗୀତ !