ଆଦ୍ୟପର୍ବ
ଆଦ୍ୟପର୍ବ
ତୁ ମତେ ଲୋଡିଲାବେଳେ
ବ୍ୟସ୍ତ ଥିଲି ଧୂଳି ଖେଳରେ,
ଉଡି ଯାଉଥିବା ଧୂଳି ପଛରେ
ଆପଣା ସ୍ବପ୍ନକୁ ନେଇ ଉଡି ବୁଲୁଥିଲି,
ସେତେବେଳେ କେମିତି ବୁଝିଥାନ୍ତି
ତୋ ଆଖିର ନୀଳ ଇସାରା ।
ବୁଝିବାର ବୟସ ହେବା ବେଳକୁ
ତୁ ନଈ ବାଲିରେ ଘର କରୁଥିଲୁ
ପ୍ରଜାପତି ସମ ଠା’କୁ ଠା ଉଡି ଯାଉଥିଲୁ
କି ଗୀତ କେଜାଣି ଗୁଣୁଗୁଣୁ ଗାଉଥିଲୁ
ମୋର ଖୁବ୍ ଇଚ୍ଛା ହେଲା ତୋ ସାଥେ ମିଶି ଗୀତ ଗାଇବାକୁ
ତୋ ନୀଳ ଆଖି ଦୁଇଟିକୁ ଚୁପକିନି ଛୁଇଁ ଦେବାକୁ ।
ତୋ ପାଖକୁ ଯାଉ ଯାଉ ମନେ ହେଲା
ପାଦ ତଳର ମାଟି ଥରୁଛି, ଠାଠା ଶୁଖି ଯାଉଛି ତଣ୍ଟି
ତ’ ଅଟକି ଗଲି ମୁଁ
ଫେରିବାବେଳେ ଭାବିଛି
ବାଙ୍କ ଚାହାଁଣିରେ ତୁ ନିଶ୍ଚେ ଦେଖିନେଇଛୁ
ମୋ ଫେରିବାର ପଦପାତକୁ
ହେଲେ ଥରୁଟିଏ ବି ପଛରୁ ଡାକିନୁ
ଅନେକ ଥର କିନ୍ତୁ ମୁଁ ସ୍ବପ୍ନରେ ଦେଖିଛି
ତୁ ମତେ ହାତ ଠାରି ଡାକୁଛୁ
ମାଗିକରି ମୋ’ଠୁ ମୋ ମନ ନେଇ ଯାଉଛୁ ।.
....
ପ୍ରକାଶ ରଂଜନ ପରିଡ଼ା
'ନିଶିପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର