ଆଦର୍ଶର ଅପମୃତ୍ୟୁ
ଆଦର୍ଶର ଅପମୃତ୍ୟୁ
କାଳେ ଆଦର୍ଶ ବି କରେ ଆତ୍ମତୃପ୍ତିରେ ଆତ୍ମହତ୍ଯା
ନ୍ଯସ୍ତ ସ୍ବାର୍ଥ ସିଦ୍ଧି ଲାଗି ଦିଏ ହସି ହସି ଆତ୍ମ ବଳି
ପୋଥି ପତ୍ର ଗ୍ରନ୍ଥ ପୁରାଣ ଉପନିଷଦରେ ସାଇତା
ଦିବ୍ୟ ଜ୍ଞାନ ଆସେନି ସେବେ କିଛି କାର୍ଯ୍ୟରେ
ଚଉରାଶୀ ଲକ୍ଷ ଜନ୍ମ ପାତକର ଭୟ ବି ପାରେନି ରୋକି
କରିବା ପାଇଁକି ଏପରିକି କୁତ୍ସିତ କୁକର୍ମ ଅବିଚାରେ
ଆତ୍ମଘାତୀ ବିସ୍ଫୋରଣର ଆରପାରିରେ ସ୍ବର୍ଗର ସୁଖ
ଇନ୍ଦ୍ରପଦ ପାରିଜାତ ଐରାବତ ଚିରଯୌବନା ଅପସରା
କଣ ଅବା ଏଇ ଧୂଳି ଧୂସରିତ ଧରାପୃଷ୍ଠରେ ମିଳୁଛି
କି ସୁଖ ଅବା ହାସଲ ହେଉଛି ଧରାବନ୍ଧା ଜୀବନରେ
ଏଠି ତ ସବୁ ମହରଗ ଆଇନକାନୁନରେ ବର୍ଜିତ
ଆଉ କେତେ ଦିନ ଅବା ଜୀଇଁ ହେବ ନୀତି ନୈତିକତାରେ
ଦିନେ ନା ଦିନେ ଡେଇଁବାକୁ ହେବ ଲକ୍ଷ୍ମଣରେଖା
ଆଉ କେତେ କାଳ ସଢୁଥିବ ଦାରିଦ୍ର୍ୟର କଷାଘାତରେ?
ଭାଙ୍ଗିବାକୁ ପଡିବ ବୁଭୁକ୍ଷୁର ଅନାହାର ଅନଶନ
ଆରୋହଣ କରିବାକୁ କ୍ଷମତାର ଶୀର୍ଷାସନ ଅଚିରେ
ଆଦର୍ଶ ଥରେ ଆତ୍ମହତ୍ଯା କଲେ ସିଧାସଳଖ ଯାଏ ସ୍ବର୍ଗ
କରିବା ସକାଶେ ସେଠାରେ ଅଖଣ୍ଡ ନିରଙ୍କୁଶ ଶାସନ
ଯିଏ ବି ଶୁଣେ ଏକଥା ଚମକି ପଡ଼େ ଉତ୍କଣ୍ଠାରେ
ଅବା ହୋଇଯାଏ ମର୍ମାହତ ଏପରି ମର୍ମନ୍ତୁଦ ଦୁର୍ଘଟଣାରେ
ଗଭୀର ସମବେଦନାରେ ସିକ୍ତ ହୋଇଯାଏ ଲୋମକୂପ
ଅନ୍ତରର ଗଭୀରତମ ପ୍ରଦେଶରୁ ବତୁରି ଆସେ ଲୁହ
ଆଖିରୁ ଝରି ଯାଏ ଅବାରିତ ଲହୁ କଣ୍ଠ ହୁଏ ବାଷ୍ପରୁଦ୍ଧ
ଆପଣାର ଇନ୍ଦ୍ରିୟାନୁଭୂତିକୁ କରୁଥାଏ ଅବିଶ୍ଵାସ
ମନ ପ୍ରାଣ ଆତ୍ମା ସନ୍ତାପିତ ହୋଇ ପ୍ରଶ୍ନଟିଏ ପଚାରେ
ବାର ବାର ବାରମ୍ବାର ଆପଣାକୁ ଆପଣା ଇଷ୍ଟକୁ
ବିଶ୍ବାସ ଅବିଶ୍ଵାସର ପ୍ରଚକ୍ଷୁରେ ତର୍କ ବିତର୍କର ନିର୍ଯ୍ଯାସରେ
ସତରେ କଣ ଆଦର୍ଶ ଏତେ ତଳକୁ ଖସି ଯାଇ ପାରେ
ସତରେ କଣ ଆଦର୍ଶ କେବେ କରି ପାରେ ଆତ୍ମହତ୍ଯା
ସତରେ କଣ ଆଦର୍ଶବାଦ ମରି ପାରେ ଏ ମହୀରେ
କୋଟି ହୃଦୟକୁ ଆଲୋଡ଼ିତ କରୁଥିବା ଆଦର୍ଶବାଦ
ପ୍ରସିଦ୍ଧି ଓ କ୍ଷମତାର ମହୁଆ ନିଶାରେ ଅମୁହାଁ ଦୌଡ଼ରେ
ହୋଇଯାଏ ଅନେକ ସମୟରେ ବାଟବଣା ଜାଣତରେ
କାଟି ଦେଇ ଆପଣାର ସ୍ବାଧୀନ ଡ଼େଣା ପୋଷା ମାନେ
ସୁନା ପଞ୍ଜୁରୀ ଆଉ ରୂପା ଥାଳିରେ ପରାନ୍ନ ପରଶା ମୋହରେ
ଅପମୃତ୍ୟୁର ମାମଲାଟିଏ ହୋଇ ରହିଯାଏ ଜନମାନସରେ ।