ଆଦର୍ଶ ଜୀବନ
ଆଦର୍ଶ ଜୀବନ
ସବୁ ପ୍ରାଣୀମଧ୍ୟେ ମଣିଷ ଜନମ
ଅତ୍ୟନ୍ତ ଦୁର୍ଲଭ ଭାଇ
ବଡ ମଣିଷ ମୁଁ ହେବାକୁ ଚାହେଁନା
ଭଲ ମଣିଷ ମୁଁ ହେବି ।
ମଣିଷ ଜନମ ଦେଇଅଛ ଭଲ
ବୁଦ୍ଧି ମତେ ଦିଅ ପ୍ରଭୁ
ମୋ ମନରେ ଦିଅ ସାହାସ ଶକତି
ସତ ପଥେ ଚଳିବାକୁ ।
ସତ୍ୟତୁମେ ନିତ୍ୟ ତୁମେ ସନାତନ
ତୁମ ପଦେ ରହୁ ମନ
ସତ୍ୟ ସଦାଚାର ହେଉ ମୋ ବେଭାର
ଦୟାକର ଭଗବାନ ।
ଧର୍ମ ପଥେ ରହି ଧନ ମୁଁ ଅରଜେ
ଧର୍ମ କାର୍ଯ୍ୟେ ବିତୁ ଦିନ
ଦୀନଜନ ସେବା ଗୁରୁଜନେ ଭକ୍ତି
ଲଘୁ ଜନେ ସ୍ନେହ ଦାନ ।
ହୃଦୟକୁ କର ପ୍ରେମାମୃତ ସର
ସଦା ବିତରଣ କରେ
ନ ଆସୁ ମୋ ମନେ ଇର୍ଷା ଓ ବିଦ୍ବେଷ
ଗର୍ବ ନରହୁ ମନରେ ।
ପର ସୁଖେ ସୁଖୀ ପର ଦୁଃଖେ ଦୁଃଖୀ
ହେଉ ମୋ ମନ ପରାଣ
ପର ଉପକାାର କରିବାକୁ ମୋର
ଉଚ୍ଛନ୍ନ ହେଉ ପରାଣ ।
ମୋ ଯେତେ ଦୁଃଖ ଦିଅ ପଛେ ପ୍ରଭୁ
ଦୁଃଖ ନ ଦିଏ କାହାକୁ
ସୁଖରେ ଶାନ୍ତିରେ ସମସ୍ତେ ରହନ୍ତୁ
ପ୍ରାର୍ଥନା ମୋ ସଦା ରହୁ ।
ସୁନ୍ଦର ଏଇ ସୃଷ୍ଟିକୁ ନିରେଖି ତୁମ
ନାମ ଗାଉଥାଏ ପ୍ରଭୁ
ସକଳ ଘଟରେ ତୁମ ସ୍ଥିତି ଅଛି
ଏହି ଜ୍ଞାନ ଦିଅ ପ୍ରଭୁ ।