ଆଧୁନିକତା
ଆଧୁନିକତା
ଅଧୁନାରେ ଇକ ପ୍ରତ୍ୟୟ ଯୋଡିଣ
ହେଲା ଶବ୍ଦ ଆଧୁନିକ,
ଆଧୁନିକ ଅର୍ଥ ନ ବୁଝି ମଣିଷ
କରଇ ଭୁଲ ଅନେକ।
ଆଦିମ ମାନବ ବନେ ରହୁଥିଲା
ଖାଉଥିଲା ଫଳମୂଳ,
ନ ଥିଲା ତାହାର ନିଜ ବାସସ୍ଥାନ
ବସ୍ତ୍ର ଗଛର ବକଳ।
ଆସ୍ତେ ଆସ୍ତେ କରି ସଭ୍ଯ ହେଲା ସିଏ
ଗଢି ତାର ପରିବାର,
ପରିବାର ବଢି ସାମାଜ ହୋଇଲା
ବୁଝିଲା ଭାବ ମନର ।
ଆଣିଲା ବିଶ୍ଵରେ ପରିବର୍ତ୍ତନ ସେ
ସ୍ରୁଷ୍ଟିର ନବ ସମ୍ଭାର,
ପୃଥିବୀର ବକ୍ଷେ ଗଢ଼ିଦେଲା ପୁଣି
ସ୍ଵପ୍ନର ନୂଆ ନଅର।
ଆଣି ନୂତନତା ପୁରାତନ ଯୁଗେ
ଆଧୁନିକେ ପ୍ରବେଶିଲା,
ଆଚାର ବିଚାର ବ୍ୟବହାର ସବୁ
ପରିବର୍ତ୍ତନ ତା ହେଲା।
ଆସି ମମି ଡାକେ ପହଞ୍ଚିଲା ସିଏ
ବୋଉ ଡାକ ଶୁଭେ ନାହିଁ,
ଡାଡି ଡାଡି ବୋଲି ସଭିଏଁ ଡାକନ୍ତି
ବାପାଙ୍କୁ ଚିହ୍ନନ୍ତି ନାହିଁ।
ଆଉ ନାହିଁ ଆମ ଗୋଲ୍ ମଣ୍ଡାପିଠା
ମୋମୋ ନେଇଛି ତା ସ୍ଥାନ,
ଆରିସା ଏଣ୍ଡୁରି ଭୁଲିଯାଇ ଖାଏ
ପିଜା ବରଗର ମାନ।
ଆମ ଭୁଆସୁଣୀ ପିନ୍ଧେନାହିଁ ଶାଢ଼ୀ
ପିନ୍ଧେ ଆଧୁନିକ ଜାମା,
ଅଙ୍ଗ ପ୍ରଦର୍ଶନ ହେଉ ଥାଉ ପଛେ
ମୁଖେ ନାହିଁ ଲାଜ ଜମା।
ଆଧୁନିକ ନାରୀ ପିନ୍ଧେନା ସିନ୍ଦୁର
ହାତରେ ନ ଥାଏ ଚୁଡି,
ବିବାହିତା ବୋଲି ପଡେନାହିଁ ଜଣା
ବୁଲୁଥାଏ ଚୁଟି ଛାଡି।
ଆଉ ଶୁଭୁନାହିଁ ଭାଗବତ ବାଣୀ
ନାହିଁ ଭାଗବତ ଟୁଙ୍ଗୀ,
କ୍ଲବରେ ନାଚନ୍ତି ପୁଅ ଝିଅ ମିଶି
କରି ନାନା ଅଙ୍ଗଭଙ୍ଗୀ।
ଆଉ ନାହିଁ ସେହି ପ୍ରଣାମ କରିବା
ଆଣ୍ଠୁ ମାଡି ଭୂମି ତଳେ,
ହ୍ୟାଲୋ ହାଏ କହି ସ୍ଵାଗତ କରନ୍ତି
ପାଣି ଢାଳ ବହୁଦୂରେ।
ଆପଣାଏ ସିଏ ପାଶ୍ଚାତ୍ୟ ସଭ୍ୟତା
ଆମ ସଂସ୍କୃତିକୁ ଭୁଲି,
ପାଶୋରିଲା ସିଏ ଏଇ ଭାରତ ମୋ
ବିଶ୍ଵଗୁରୁ ଥିଲା ବୋଲି।
ଆମରି ସଂସ୍କୃତ ବିଶ୍ଵ ଆଦିଭାଷା
ବେଦ ସର୍ବ ପୁରାତନ,
ସକଳ ପ୍ରକାର ବିଦ୍ୟାର ଭଣ୍ଡାର
ଅଟେ ଏହି ଶାସ୍ତ୍ରମାନ।
ଆମରି ଦେଶର ଅଗ୍ରଜଙ୍କ ଠାରୁ
ପୃଥିବୀର ସର୍ବ ଜନ,
ନିଜ ନିଜ ଚରିତ୍ର ଶିକ୍ଷା କରନ୍ତୁ
କହିଛନ୍ତି ଜ୍ଞାନୀ ଜନ।
ଆଧୁନିକତାର ମାନେ ନୂହେଁ ଜମା
ସଂସ୍କାର କୁ ଭୁଲିଯିବା,
ସଂସ୍କାରିତ ହେଲେ ସାମାଜରେ ଆମେ
ଉତ୍ତମରେ ଗଣା ହେବା।