(୦୯)#ଆଶା# ଆଧୁନିକ ଛନ୍ଦମୁକ୍ତ କବିତା
(୦୯)#ଆଶା# ଆଧୁନିକ ଛନ୍ଦମୁକ୍ତ କବିତା
ଆପଣା ଭିତରେ ଭାଙ୍ଗି ରୁଜି ଯାଉଥିବା ବେଳେ
ସେଇ ଆଶା ଟିକକରେ ହିଁ ବଞ୍ଚିବାକୁ ରାହା ମିଳେ,
ଲାଗେ ଏବେବି କିଛି ବାକି ଅଛି ସେ ଅନ୍ଧାରରେ
ଯାତନା ଯନ୍ତ୍ରଣାଭରା ଜୀବନ ସଙ୍ଗୀତର ଆଲିଙ୍ଗନରେ
ଆଶା, ସମୟର ନିଷ୍ଠୁରତା ମଧ୍ୟରେ ଶିଶୁର ନିରୀହତା
ବାରୁଦର ତେଜସ୍କ୍ରିୟତାରେ ଦୁର୍ବାଦଳର ସତେଜତା,
ମରୁବାଲିର ଆତିଥ୍ୟରେ ନାଗଫେଣୀର ଉପସ୍ଥିତି
କୃଷ୍ଣପକ୍ଷ ଅମା ଅନ୍ଧକାରରେ ଫାଳେ ଜହ୍ନର ସ୍ଥିତି ,
ଗୋଟେ କ୍ଳାନ୍ତ ଅପରାହ୍ନ ଶେଷେ,ଆଶା,ସ୍ୱପ୍ନଭରା ରାତି
ସୁଖି ଚାଲିଥିବା ବୃକ୍ଷ ଡାଳେ କଅଁଳ ପତ୍ରଟିଏ ଯେମିତି,
ଭୟ ଓ ଆତଙ୍କ ମଧ୍ୟରେ ଆଶ୍ୱାସନାର ଅମୃତ ବାଣୀ
ଅସରନ୍ତି ଅସୂୟା ପଣରେ ଆତ୍ମୀୟତାର ଚାହାଣୀ ,
ଆଶା ସବୁଦିନେ ପ୍ରଳୟ ପରେ ପୁଣି ଏକ ସର୍ଜନର ଉତ୍ସ
ନିୟତିର ନିସ୍ତେଜ ଉଦାସ ଆଖିରେ ନୂଆ ସକାଳର ସ୍ପର୍ଶ
ଭାରି ମିଠା ମିଠା ଅନୁଭବ ହୁଏ ତା' ସେ କୋମଳ ଛୁଆଁ
ତା ସେ ନିରୀହ କାନ୍ଧେ ସତେ କି ହୋଇଛି ଜୀବନ ଥୁଆ ।