ସବୁଠୁ ନିଆରା
ସବୁଠୁ ନିଆରା
ବଉଦ ଫାଙ୍କରେ ସୁରୁଜ ଦେଲାରୁ ହସି
ବୁଢୀମା ମେଲାଏ ଗୀତା ଭାଗବତ ପସରା
ବାଡ଼ି ପିଣ୍ଡାରେ ବସି
କଅଁଳ ସୁରୁଜ ପୋଇଁବାରେ ଯଦି ଆସ ।
ସୀତା ଆଈ! ଏଠି ଆସନ ପକାଇ ବସ
ନାଲି ମୁରୁଜ ହୋଇଯିବ ଢାଳି
ଜଗତ ଦିଶିବ ତୋର
ପିଲାମାନେ ହେବେ ଚାଟଶାଳୀ ମୁହାଁ ।
ସାରଙ୍କର କଡା ତାଗିଦା ପରା
ବାସନକୁସନ ଗଡିଆ କୂଳରେ ନିଠେଇ ମାଜେ ବୋଉ
ଦେଠେଇ ସେଠି ନିତି ହାବୁଡନ୍ତି
ସାଣଦିଆ ଓଠେ କଥାଗୁଡ଼ା ତାଙ୍କ ଟାଉଁ ଟାଉଁ ।
ଖୁଁ ଖୁଁ କାଶି ବୁଧୀନାନି ଝାଟେଇ ପକାଏ ବାଡ଼ି
ନାଲି ଚା ଆଉ ମୁଢି କଂସା ବୋହୁ ଦେଲାଣି ବାଢି
ହରିଆ ଗୋପାଳି ଖେତ କୁ ଗଲେଣି
ଫେରିଲା ବେଳକୁ ବେଳ ଲେଉଟାଣି ।
ଦାସ ଘର ବୋହୁ ସ୍କୁଲ ମାଷ୍ଟରାଣୀ
ଭେନିଟି ଝୁଲାଇ ଦେଖାଏ ସେ କେତେ ଠାଣି
ବାଇଆ ଆମର ଶାଗ ପଟାଳିରେ ପାଣି ଦଉ ଦଉ
ଡାକ ପକାଇଲା "ଆଲୋ, ଶୁଣି ଯିବୁକି ବୋଉ?"
ବୋଉ ପାଟିକଲା "ରଗାନା ମତେ ତୁ କୋଢିଆ ଟୋକା ।
ହାତ ବୁଲେଇଲେ କାମ ହବ ପରା
କିଳିକିଳା ନାଦ ଜମା କରିବୁନି
ତାଗିଦା ତତେ ମୁଁ କରିଦେଲି"
ସନା ମା ମନ ଭାରି ଆନ୍ଦିଆ
ଚନ୍ଦ୍ର ଉଦିଆ ସମ ନାତି ତାର ଆଜି ତା ଏକୋଇଶିଆ ।
ବେଳବୁଡ଼କୁ ନାରାୟଣ ପୂଜା ପୁଣି ଦାସକାଠିଆ
ବିଡି ହାତେ ଧରି ବାପା ଆମର
ଦାଣ୍ଡ ରୁ ବାଡ଼ିକି ହଉଥାନ୍ତି ଖାଲି ନସର ପସର
ଅଫିସ ଗଲାକୁ ଦିନ ନ ଟା ।
ବୋଉ ବାଢି ଦେବ କେତେ ଯତନରେ
ଭାତ ଆଉ ତରକାରୀ କେତେ ଠା
ସକାଳ ଟାଇମି କେଡେ ବେଏଗି ଧାଉଁଛି
ତାଳ ଦେଇ ଯିବା ସମୟ ସାଙ୍ଗରେ
ଯଦି ଜିଣିବାକୁ ଅଛି ।
ବଟ ଭାଇ ବାବୁଲାଖଣ୍ଡକ ଭାରି ଡହରା
ଟୋକାଖଣ୍ଡକ ଭାରି ଡହରା
ସହର ରେ ଖଣ୍ଡେ ଚାକିରୀ କରିଛି ବୋଲି
ଦେଖାଏ ହାରକିନ ସଭିଙ୍କୁ ।
ସିଏ ବଡ ହେଉ ବା ଛୁଆ
ବଟ ବୋଉ ଦିନେ କହିଲା
"ତୁ ସକାଳୁ ଯାଉଛୁ ରାତି କି ଆଉଚୁ
କି ହଟହଟା ହଉଛୁ
ସେଠି ଖଣ୍ଡେ ଘର ଦେଖିକି ରହିଯା
ପୂଜା ପାର୍ବଣ ରେ ଆସିବୁ ଏଆଡ଼େ
କରିଥିବି ମୁ ଅନିଶା
କେତେ ଜାତି ପିଠା ମଣ୍ଡା ପୋଡ଼ ଆରିସା
ତା ସାଙ୍ଗକୁ ଖିରି ଖିରିସା"
"କି କଥା ଯେ କହୁ ତୁ ବୋଉ
ଦରମା ଗଣ୍ଡାକ ଯିବ ମୋ ଭଡାରେ
ଖାଇବି କଣ ଆଉ ?"
"କିରେ ସଂସାର ଜାଣିଚି
ପୁଅ ମୋ ବଡ ରୋଜଗାରିଆ
ତୁ ଏମିତି କଣ ବକୁଚୁ ସତ ଟିକେ
କହିବୁକି ମେତେ?"
ଗାଁ ସୁଖ ବୋଉ ସହରେ ନାହିଁ ଲୋ
ବଖାଣେ ମୁଁ ସିନା ମିଛ ସତ ସବୁ
ହେଲେ ସବୁଠୁ ନିଆରା ସବୁଠୁ ଦାମିକା
ତୋହରି ପଣତ କାନି ।